24
ଇସ୍‌ହାକ ନିମନ୍ତେ ପତ୍ନୀ
ସେହି ସମୟରେ ଅବ୍ରହାମ ବୃଦ୍ଧ ଓ ଗତବୟସ୍କ ଥିଲେ, ପୁଣି, ସଦାପ୍ରଭୁ ଅବ୍ରହାମଙ୍କୁ ସବୁ ବିଷୟରେ ଆଶୀର୍ବାଦ କରିଥିଲେ। ଏଣୁ ସେ ଆପଣା ଗୃହର ସର୍ବକାର୍ଯ୍ୟାଧ୍ୟକ୍ଷ ବୃଦ୍ଧ ଦାସକୁ କହିଲେ, “ମୁଁ ବିନୟ କରୁଅଛି, ତୁମ୍ଭେ ମୋʼ ଜଙ୍ଘରେ ହସ୍ତ ଦିଅ; ମୁଁ ସ୍ୱର୍ଗ ମର୍ତ୍ତ୍ୟର ସୃଷ୍ଟିକର୍ତ୍ତା ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ତୁମ୍ଭକୁ ଶପଥ କରାଇବି ଯେ, ଯେଉଁ କିଣାନୀୟ ଲୋକମାନଙ୍କ ମଧ୍ୟରେ ମୁଁ ବାସ କରୁଅଛି, ତୁମ୍ଭେ ସେମାନଙ୍କ ମଧ୍ୟରୁ ମୋʼ ପୁତ୍ରର ବିବାହାର୍ଥେ କୌଣସି କନ୍ୟା ଗ୍ରହଣ କରିବ ନାହିଁ; ମାତ୍ର, ତୁମ୍ଭେ ଆମ୍ଭ ଦେଶୀୟ ଜ୍ଞାତିମାନଙ୍କ ନିକଟକୁ ଯାଇ ମୋʼ ପୁତ୍ର ଇସ୍‌ହାକ ନିମନ୍ତେ କନ୍ୟା ଆଣିବ।”
ସେତେବେଳେ ସେହି ଦାସ ତାଙ୍କୁ କହିଲା, “ଯଦି କୌଣସି କନ୍ୟା ମୋʼ ସହିତ ଏ ଦେଶକୁ ଆସିବା ପାଇଁ ସମ୍ମତ ନୋହିବ, ତେବେ ଯେଉଁ ଦେଶରୁ ତୁମ୍ଭେ ଆସିଅଛ, ସେହି ଦେଶକୁ କି ତୁମ୍ଭ ପୁତ୍ରଙ୍କୁ ନେଇଯିବି?” ତହିଁରେ ଅବ୍ରହାମ କହିଲେ, “ସାବଧାନ; ମୋʼ ପୁତ୍ରକୁ କେବେ ସେଠାକୁ ନେଇଯିବ ନାହିଁ।” “ଯେହେତୁ ଯେଉଁ ସ୍ୱର୍ଗର ସୃଷ୍ଟିକର୍ତ୍ତା ସଦାପ୍ରଭୁ ପରମେଶ୍ୱର ମୋତେ ପୈତୃକ ଗୃହ ଓ ଜନ୍ମ ଦେଶ ମଧ୍ୟରୁ ଆଣିଅଛନ୍ତି ଓ ମୋʼ ସଙ୍ଗେ ଆଳାପ କରିଅଛନ୍ତି, ‘ପୁଣି, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି ଶପଥ କରିଅଛନ୍ତି,’ ସେ ତୁମ୍ଭ ଅଗ୍ରତେ ଆପଣା ଦୂତ ପଠାଇବେ; ତହିଁରେ ତୁମ୍ଭେ ମୋʼ ପୁତ୍ରର ବିବାହ ନିମନ୍ତେ ସେହିଠାରୁ ଗୋଟିଏ କନ୍ୟା ଆଣିବ। ଯଦି ସେହି ଦେଶରୁ କୌଣସି କନ୍ୟା ଆସିବାକୁ ସମ୍ମତ ହେବେ ନାହିଁ, ତେବେ ତୁମ୍ଭେ ମୋହର ଏହି ଶପଥରୁ ମୁକ୍ତ ହେବ; ମାତ୍ର ତୁମ୍ଭେ ମୋʼ ପୁତ୍ରକୁ ସେହି ଦେଶକୁ ନେଇଯିବ ନାହିଁ।” ତହିଁରେ ସେହି ଦାସ ଆପଣା ପ୍ରଭୁ ଅବ୍ରହାମଙ୍କର ଜଙ୍ଘରେ ହସ୍ତ ଦେଇ ସେହି ବିଷୟରେ ଶପଥ କଲା।
10 ଏଥିଉତ୍ତାରେ ସେହି ଦାସ ଆପଣା ପ୍ରଭୁର ଓଟମାନଙ୍କ ମଧ୍ୟରୁ ଦଶଟା ଓଟ ଓ ଆପଣା ପ୍ରଭୁର ସର୍ବପ୍ରକାର ଉତ୍ତମ ଦ୍ରବ୍ୟ ହସ୍ତରେ ଘେନି ପ୍ରସ୍ଥାନ କରି ଅରାମନହରୟିମ୍‍* ଦେଶର ନାହୋର ନଗରକୁ ଯାତ୍ରା କଲା। 11 ଏଥିଉତ୍ତାରେ ସନ୍ଧ୍ୟା ବେଳେ, ଯେଉଁ ସମୟରେ କନ୍ୟାଗଣ ଜଳ କାଢ଼ିବାକୁ ଆସନ୍ତି, ସେହି ସମୟରେ ସେ ନଗରର ବାହାରେ କୂପ ନିକଟରେ ଓଟମାନଙ୍କୁ ଆଣ୍ଠୋଇ ବସାଇଲା। 12 ପୁଣି, ଏହି ପ୍ରାର୍ଥନା କଲା, “ହେ ମୋହର କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ୱର, ବିନୟ କରୁଅଛି, ଆଜି ମୋʼ ସମ୍ମୁଖରେ ଶୁଭଫଳ ଉପସ୍ଥିତ କର, ଆଉ ମୋʼ ପ୍ରଭୁ ଅବ୍ରହାମଙ୍କ ପ୍ରତି ଦୟା କର। 13 ଦେଖ, ମୁଁ ଏହି କୂପ ନିକଟରେ ଛିଡ଼ା ହେଉଅଛି, ଆଉ ଏ ନଗରବାସୀମାନଙ୍କ କନ୍ୟାଗଣ ଜଳ ନେବା ପାଇଁ ଆସୁଅଛନ୍ତି; 14 ସେମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ, ‘ତୁମ୍ଭେ ଆପଣା କଳସ ନୁଆଁଇ ମୋତେ ଜଳ ପାନ କରାଅ,’ ଏହି କଥା କହିଲେ ସେହି କନ୍ୟା ଯଦି କହିବ, ‘ପାନ କର, ମୁଁ ତୁମ୍ଭର ଓଟମାନଙ୍କୁ ହିଁ ପାନ କରାଇବି,’ ତେବେ ସେ ତୁମ୍ଭ ଦାସ ଇସ୍‌ହାକ ନିମନ୍ତେ ତୁମ୍ଭର ନିରୂପିତା କନ୍ୟା ହେଉ; ତହିଁରେ ତୁମ୍ଭେ ମୋʼ ପ୍ରଭୁଙ୍କ ପ୍ରତି ଅନୁଗ୍ରହ କରିଅଛ, ଏହା ମୁଁ ଜାଣିବି।”
15 ଏହି କଥା କହୁ କହୁ ଅବ୍ରହାମଙ୍କର ନାହୋର ନାମକ ଭ୍ରାତାର ଭାର୍ଯ୍ୟା ମିଲ୍କାର ପୁତ୍ର ଯେ ବଥୂୟେଲ, ତାହାର କନ୍ୟା ରିବିକା ସ୍କନ୍ଧରେ କଳସ ଘେନି ବାହାରି ଆସିଲା। 16 ସେହି କନ୍ୟା ପରମସୁନ୍ଦରୀ ଓ ଅବିବାହିତା, ଆଉ କୌଣସି ପୁରୁଷର ଉପଭୁକ୍ତା ନ ଥିଲା। ସେ କୂପ ଭିତରକୁ ଯାଇ କଳସ ପୂର୍ଣ୍ଣ କରି ଉଠି ଆସୁଅଛି,
17 ଏପରି ସମୟରେ ସେହି ଦାସ ଦୌଡ଼ିଯାଇ ତାହା ସଙ୍ଗେ ଦେଖା କରି କହିଲା, “ମୁଁ ବିନୟ କରୁଅଛି, ତୁମ୍ଭ କଳସରୁ ମୋତେ କିଛି ଜଳ ପାନ କରିବାକୁ ଦିଅ।” 18 ତହିଁରେ ସେ କହିଲା, “ମହାଶୟ, ପାନ କରନ୍ତୁ,” ଏହା କହି ସେ ଶୀଘ୍ର କଳସ ହାତକୁ ଓହ୍ଲାଇ ତାହାକୁ ପାନ କରିବାକୁ ଦେଲା। 19 ପୁଣି, ତାହାକୁ ପାନ କରାଇଲା ଉତ୍ତାରେ କହିଲା, “ମଧ୍ୟ ତୁମ୍ଭର ଓଟ ସବୁ ପାଣି ପିଇ ସାରିବା ଯାଏ ମୁଁ ପାଣି କାଢ଼ିବି।” 20 ତହିଁରେ ସେ ଶୀଘ୍ର କୁଣ୍ଡରେ କଳସରୁ ପାଣି ଢାଳି ପୁନଶ୍ଚ ପାଣି କାଢ଼ିବା ପାଇଁ କୂପ ନିକଟକୁ ଧାଇଁଯାଇ ସମସ୍ତ ଓଟ ନିମନ୍ତେ ଜଳ କାଢ଼ିଲା। 21 ତହିଁରେ ସେହି ପୁରୁଷ ତାହା ପ୍ରତି ସ୍ଥିର ଦୃଷ୍ଟି କରି ଅନାଇ ରହିଲା; ପୁଣି, ସଦାପ୍ରଭୁ ତାହାର ଯାତ୍ରା ସଫଳ କରିବେ କି ନାହିଁ, ତାହା ଜାଣିବା ନିମନ୍ତେ ନିରବ ରହିଲା।
22 ପୁଣି, ଓଟମାନେ ଜଳ ପାନ କଲା ଉତ୍ତାରେ ସେହି ପୁରୁଷ ତାହା ନିମନ୍ତେ ଅଧଭରି ପରିମିତ ସୁବର୍ଣ୍ଣ ନଥ ଓ ତାହାର ହସ୍ତ ନିମନ୍ତେ ଦଶଭରି ପରିମିତ ଦୁଇ ସୁବର୍ଣ୍ଣ ବଳା ନେଇ କହିଲା, 23 “ନିବେଦନ କରୁଅଛି, ତୁମ୍ଭେ କାହାର କନ୍ୟା, ମୋତେ କୁହ। ତୁମ୍ଭ ପିତାଙ୍କ ଗୃହରେ ଆମ୍ଭମାନଙ୍କର ରାତ୍ରି କ୍ଷେପଣ କରିବାକୁ କି ସ୍ଥାନ ଅଛି?” 24 ତହିଁରେ ସେ ଉତ୍ତର କଲା, “ନାହୋରର ଔରସରେ ମିଲ୍କାଠାରୁ ଜାତ ପୁତ୍ର ଯେ ବଥୂୟେଲ, ମୁଁ ତାଙ୍କର କନ୍ୟା।” 25 ସେ ଆହୁରି କହିଲା, “ଆମ୍ଭମାନଙ୍କର ପାଳକୁଟା ଓ ଦାନା ଯଥେଷ୍ଟ ଅଛି, ମଧ୍ୟରାତ୍ର କ୍ଷେପଣ କରିବାକୁ ସ୍ଥାନ ଅଛି।” 26 ସେତେବେଳେ ସେହି ମନୁଷ୍ୟ ମସ୍ତକ ନୁଆଁଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି କହିଲା, 27 “ମୋହର କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ୱର ଧନ୍ୟ ହେଉନ୍ତୁ, ଯେହେତୁ ସେ ମୋʼ କର୍ତ୍ତା ପ୍ରତି ଅନୁଗ୍ରହ ଓ ସତ୍ୟାଚରଣ କରିବାରୁ ନିବୃତ୍ତ ହୋଇ ନାହାନ୍ତି; ପୁଣି, ସଦାପ୍ରଭୁ ମୋତେ ମୋʼ କର୍ତ୍ତାର ଜ୍ଞାତିମାନଙ୍କ ଗୃହ ପଥରେ କଢ଼ାଇ ଆଣିଅଛନ୍ତି।”
28 ଆଉ ସେହି କନ୍ୟା ଦୌଡ଼ିଯାଇ ଆପଣା ମାତାର ଗୃହସ୍ଥିତ ଲୋକମାନଙ୍କୁ ଏହି କଥା ଜଣାଇଲା। 29 ଆଉ ରିବିକାର ଏକ ଭ୍ରାତା ଥିଲା, ତାହାର ନାମ ଲାବନ; ସେହି ଲାବନ ସେହି ମନୁଷ୍ୟ ଉଦ୍ଦେଶ୍ୟରେ କୂପ ନିକଟକୁ ଦୌଡ଼ିଗଲା। 30 ପୁଣି, ସେହି ମନୁଷ୍ୟ ମୋତେ ଏହି ଏହି କଥା କହିଲା, ଆପଣା ଭଗିନୀ ରିବିକା ମୁଖରୁ ଏହା ଶୁଣି ଆଉ ଭଗିନୀର ନଥ ଓ ହସ୍ତରେ ବଳା ଦେଖି ସେହି ପୁରୁଷ ନିକଟକୁ ଗଲା, ପୁଣି, ତାହାକୁ କୂପ ପାଖରେ ଓଟମାନଙ୍କ ସହିତ ଛିଡ଼ା ହୋଇଥିବାର ଦେଖି କହିଲା, 31 “ହେ ସଦାପ୍ରଭୁଙ୍କ ଆଶୀର୍ବାଦ-ପାତ୍ର, ଭିତରକୁ ଆସ, ତୁମ୍ଭେ କାହିଁକି ବାହାରେ ଛିଡ଼ା ହେଉଅଛ? ମୁଁ ତ ଘର ଓ ଓଟମାନଙ୍କ ପାଇଁ ସ୍ଥାନ ପ୍ରସ୍ତୁତ କରିଅଛି।” 32 ତହିଁରେ ସେହି ମନୁଷ୍ୟ ଗୃହରେ ପ୍ରବେଶ କରି ଓଟମାନଙ୍କର ସାଜ ଫିଟାନ୍ତେ, ସେ ସେମାନଙ୍କୁ ପାଳକୁଟା ଓ ଦାନା ଦେଲା, ପୁଣି, ତାହାର ଓ ତାହାର ସଙ୍ଗୀମାନଙ୍କର ପାଦ ପ୍ରକ୍ଷାଳନ ନିମନ୍ତେ ପାଣି ଦେଲା। 33 ଏଥିଉତ୍ତାରେ ତାହା ସମ୍ମୁଖରେ ଭୋଜନ ସାମଗ୍ରୀ ରଖାଗଲା; ମାତ୍ର ସେ କହିଲା, “ବକ୍ତବ୍ୟ କଥା ନ କହି ମୁଁ ଭୋଜନ କରିବି ନାହିଁ।” ତହିଁରେ ଲାବନ କହିଲା, “କୁହ।”
34 ତେବେ ସେ କହିଲା, “ମୁଁ ଅବ୍ରହାମଙ୍କର ଦାସ। 35 ସଦାପ୍ରଭୁ ମୋʼ କର୍ତ୍ତାଙ୍କୁ ଅତିଶୟ ଆଶୀର୍ବାଦ କରିଅଛନ୍ତି, ତେଣୁ ସେ ଅତି ଧନବାନ ହୋଇଅଛନ୍ତି; ଆଉ ସଦାପ୍ରଭୁ ତାଙ୍କୁ ପଲ ପଲ ଗୋମେଷାଦି ଓ ରୂପା ସୁନା ଓ ଦାସଦାସୀ, ପୁଣି, ଓଟ ଗଧ ଦେଇଅଛନ୍ତି। 36 ପୁଣି, ମୋʼ ପ୍ରଭୁଙ୍କ ଭାର୍ଯ୍ୟା ସାରା ବୃଦ୍ଧାବସ୍ଥାରେ ତାଙ୍କ ପାଇଁ ଏକ ପୁତ୍ର ପ୍ରସବ କରିଅଛନ୍ତି ଓ ସେ ତାଙ୍କୁ ଆପଣା ସର୍ବସ୍ୱ ଦେଇଅଛନ୍ତି। 37 ପୁଣି, ମୋହର ପ୍ରଭୁ ମୋତେ ଶପଥ କରାଇ କହିଲେ, ‘ଆମ୍ଭେ ଯେଉଁମାନଙ୍କ ମଧ୍ୟରେ ବାସ କରୁଅଛୁ, ତୁମ୍ଭେ ଆମ୍ଭ ପୁତ୍ରର ବିବାହ ନିମନ୍ତେ ସେହି କିଣାନ ଦେଶୀୟ ଲୋକମାନଙ୍କ ମଧ୍ୟରୁ କୌଣସି କନ୍ୟା ଗ୍ରହଣ କରିବ ନାହିଁ; 38 ମାତ୍ର ଆମ୍ଭ ପୈତୃକ ବଂଶୀୟ ଲୋକମାନଙ୍କ ନିକଟକୁ ଯାଇ ଆମ୍ଭ ପୁତ୍ର ନିମନ୍ତେ କନ୍ୟା ଆଣିବ।’ 39 ସେତେବେଳେ ମୁଁ ପ୍ରଭୁଙ୍କୁ କହିଲି, ‘କେଜାଣି କୌଣସି କନ୍ୟା ମୋʼ ସଙ୍ଗରେ ନ ଆସିବ।’ 40 ତହିଁରେ ସେ କହିଲେ, ‘ଆମ୍ଭେ ଯେଉଁ ସଦାପ୍ରଭୁଙ୍କ ଛାମୁରେ ଗମନାଗମନ କରୁ, ସେ ତୁମ୍ଭ ସଙ୍ଗରେ ଆପଣା ଦୂତ ପଠାଇ ତୁମ୍ଭ ଯାତ୍ରା ସଫଳ କରିବେ; ତହିଁରେ ତୁମ୍ଭେ ଆମ୍ଭ ପୈତୃକ ବଂଶରୁ ଆମ୍ଭ ପୁତ୍ର ନିମନ୍ତେ କନ୍ୟା ଆଣିବ; 41 ଆଉ ତୁମ୍ଭେ ଆମ୍ଭ ବଂଶୀୟ ଲୋକମାନଙ୍କ ନିକଟକୁ ଗଲେ ଏହି ଶପଥରୁ ମୁକ୍ତ ହେବ; ଯଦ୍ୟପି ସେମାନେ କନ୍ୟା ନ ଦେବେ, ତଥାପି ଶପଥରୁ ମୁକ୍ତ ହେବ।’
42 ଏହେତୁ ଆଜି ମୁଁ ଏହି କୂପ ନିକଟରେ ଉପସ୍ଥିତ ହୋଇ ଏହି ପ୍ରାର୍ଥନା କଲି, ‘ହେ ମୋହର କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ଯଦି ମୋହର କୃତ ଯାତ୍ରା ସଫଳ କର, 43 ତେବେ ଦେଖ, ମୁଁ ଏବେ ଏହି ସଜଳ କୂପ ନିକଟରେ ଛିଡ଼ା ହୋଇଅଛି। ତହିଁରେ ଜଳ କାଢ଼ିବାକୁ ଆଗତା କୌଣସି କନ୍ୟାକୁ ଯଦି ମୁଁ କହେ, ତୁମ୍ଭ କଳସରୁ ମୋତେ କିଛି ଜଳ ପାନ କରିବାକୁ ଦିଅ; 44 ପୁଣି, ସେ କନ୍ୟା ଯଦି କହେ, ତୁମ୍ଭେ ପାନ କର ଓ ତୁମ୍ଭ ଓଟମାନଙ୍କ ନିମନ୍ତେ ହେଁ ପାଣି କାଢ଼ି ଦେବି; ତେବେ ସେ ମୋʼ କର୍ତ୍ତାଙ୍କ ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଦ୍ୱାରା ନିରୂପିତା କନ୍ୟା ହେଉ।’
45 ଏହି କଥା ମୁଁ ମନେ ମନେ କହୁଥିଲି, ଏଥିମଧ୍ୟରେ ରିବିକା ସ୍କନ୍ଧରେ କଳସ ଘେନି ବାହାରକୁ ଆସିଲା। ପୁଣି, ସେ କୂପ ଭିତରକୁ ଯାଇ ଜଳ କାଢ଼ନ୍ତେ ମୁଁ କହିଲି, ‘ବିନୟ କରୁଅଛି, ମୋତେ ଜଳ ପାନ କରାଅ।’ 46 ତହିଁରେ ସେ ଶୀଘ୍ର ସ୍କନ୍ଧରୁ କଳସ ନୁଆଁଇ କହିଲା, ‘ପାନ କର, ପୁଣି, ମୁଁ ତୁମ୍ଭ ଓଟମାନଙ୍କୁ ହିଁ ପାନ କରାଇବି;’ ତହୁଁ ମୁଁ ପାନ କଲି, ପୁଣି, ସେ ଓଟମାନଙ୍କୁ ପାନ କରାଇଲା।
47 ଏଥିଉତ୍ତାରେ ମୁଁ ତାହାକୁ ପଚାରିଲି, ‘ତୁମ୍ଭେ କାହାର କନ୍ୟା?’ ତହିଁରେ ସେ କହିଲା, ‘ନାହୋରର ଔରସରେ ମିଲ୍କାର ପୁତ୍ର ଯେ ବଥୂୟେଲ, ମୁଁ ତାଙ୍କର କନ୍ୟା।’ ତହୁଁ ମୁଁ ତାହାର ନାସିକାରେ ନଥ ଓ ହସ୍ତରେ ବଳା ପିନ୍ଧାଇଲି।
48 ଆଉ ମୁଁ ମସ୍ତକ ନୁଆଁଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲି, ପୁଣି, ଯେ ମୋʼ କର୍ତ୍ତାଙ୍କ ପୁତ୍ର ନିମନ୍ତେ ତାଙ୍କ ଭ୍ରାତୃକନ୍ୟା ଗ୍ରହଣ କରିବାକୁ ମୋତେ ପ୍ରକୃତ ପଥରେ କଢ଼ାଇ ଆଣିଲେ, ମୋʼ କର୍ତ୍ତା ଅବ୍ରହାମଙ୍କର ସେହି ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କଲି। 49 ଏହେତୁ ତୁମ୍ଭେମାନେ ଯଦି ମୋʼ ପ୍ରଭୁଙ୍କ ସହିତ ଦୟା ଓ ସତ୍ୟ ବ୍ୟବହାର କରିବାକୁ ସମ୍ମତ ହୁଅ, ତେବେ ତାହା କୁହ; ଆଉ ଯଦି ନ ହୁଅ, ତାହା ମଧ୍ୟ କୁହ; ତହିଁରେ ମୁଁ ଡାହାଣ ଅଥବା ବାମରେ ଫେରିଯିବି।
50 ସେତେବେଳେ ଲାବନ ଓ ବଥୂୟେଲ ଉତ୍ତର କଲେ, ସଦାପ୍ରଭୁଙ୍କଠାରୁ ଏହି ଘଟଣା ହୋଇଅଛି, ଏଥିରେ ଆମ୍ଭେମାନେ ଭଲ ଓ ମନ୍ଦ କିଛି କହି ନ ପାରୁ। 51 ଦେଖ, ରିବିକା ତୁମ୍ଭ ସମ୍ମୁଖରେ ଅଛି, ତାହାକୁ ଘେନି ପ୍ରସ୍ଥାନ କର, ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ତୁମ୍ଭ କର୍ତ୍ତାଙ୍କ ପୁତ୍ରର ଭାର୍ଯ୍ୟା ହେଉ।”
52 ସେତେବେଳେ ଅବ୍ରହାମଙ୍କର ଦାସ ସେମାନଙ୍କଠାରୁ ଏହି କଥା ଶୁଣିବାମାତ୍ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିଷ୍ଠ ପ୍ରଣାମ କଲା। 53 ଏଥିଉତ୍ତାରେ ସେହି ଦାସ ରୂପା ଓ ସୁନାର ଆଭରଣ ଓ ବସ୍ତ୍ର ବାହାର କରି ରିବିକାକୁ ଦେଲା; ପୁଣି, ତାହାର ଭ୍ରାତା ଓ ମାତାକୁ ମଧ୍ୟ ବହୁମୂଲ୍ୟ ଦ୍ରବ୍ୟ ଦେଲା। 54 ତହିଁରେ ସେ ଓ ତାହାର ସଙ୍ଗୀଗଣ ଭୋଜନପାନ କରି ସେହିଠାରେ ରାତ୍ରି କ୍ଷେପଣ କଲେ; ଏଥିଉତ୍ତାରେ ସେମାନେ ପ୍ରଭାତରେ ଉଠନ୍ତେ, ସେହି ଦାସ କହିଲା, “ମୋʼ ପ୍ରଭୁଙ୍କ ନିକଟକୁ ଯିବାକୁ ମୋତେ ବିଦାୟ କର।” 55 ତହିଁରେ ରିବିକାର ଭ୍ରାତା ଓ ମାତା କହିଲେ, “ଏହି କନ୍ୟା ଆମ୍ଭମାନଙ୍କ ନିକଟରେ କିଛି ଦିନ, ହୋଇ ପାରିଲେ ଦଶ ଦିନ ଥାଉ, ତହିଁ ଉତ୍ତାରେ ସେ ଯିବ।”
56 ମାତ୍ର ସେ ସେମାନଙ୍କୁ କହିଲା, “ମୋତେ ବିଳମ୍ବ କରାଅ ନାହିଁ, ଯେହେତୁ ସଦାପ୍ରଭୁ ମୋହର ଯାତ୍ରା ସଫଳ କଲେ; ଏବେ ନିଜ କର୍ତ୍ତାଙ୍କ ନିକଟକୁ ଯିବା ପାଇଁ ମୋତେ ବିଦାୟ କର।” 57 ତହିଁରେ ସେମାନେ କହିଲେ, “ଆମ୍ଭେମାନେ କନ୍ୟାକୁ ଡାକି ତାହାକୁ ସାକ୍ଷାତରେ ପଚାରୁ।” 58 ଏଥିଉତ୍ତାରେ ସେମାନେ ରିବିକାକୁ ଡାକି କହିଲେ, “ତୁମ୍ଭେ କି ଏହି ମନୁଷ୍ୟ ସଙ୍ଗରେ ଯିବ?” ତହୁଁ ସେ କହିଲା, “ଯିବି।”
59 ସେତେବେଳେ ସେମାନେ ଆପଣା ଭଗିନୀ ରିବିକାକୁ ଓ ତାହାର ଧାତ୍ରୀକୁ, ପୁଣି, ଅବ୍ରହାମଙ୍କର ଦାସ ଓ ତାହାର ଲୋକମାନଙ୍କୁ ବିଦାୟ କଲେ। 60 ପୁଣି, ରିବିକାକୁ ଆଶୀର୍ବାଦ କରି କହିଲେ, “ତୁମ୍ଭେ ଆମ୍ଭମାନଙ୍କର ଭଗିନୀ, ସହସ୍ର ସହସ୍ର ଲୋକର ମାତା ହୁଅ; ତୁମ୍ଭର ବଂଶ ଆପଣା ଶତ୍ରୁଗଣର ନଗର ଅଧିକାର କରନ୍ତୁ।”
61 ଏଥିଉତ୍ତାରେ ରିବିକା ଓ ତାହାର ଦାସୀମାନେ ଉଠି ଓଟ ଉପରେ ଚଢ଼ି ସେହି ମନୁଷ୍ୟର ପଛେ ପଛେ ଯାତ୍ରା କଲେ। ଏହିରୂପେ ସେହି ଦାସ ରିବିକାକୁ ଘେନି ପ୍ରସ୍ଥାନ କଲା।
62 ସେହି ସମୟରେ ଇସ୍‌ହାକ ଦକ୍ଷିଣ ଦେଶରେ ବାସ କରିବାରୁ ବେର-ଲହୟ-ରୋୟୀ ନାମକ ସ୍ଥାନକୁ ଯାଇ ଫେରି ଆସିଥିଲା।
63 ପୁଣି, ସନ୍ଧ୍ୟା ବେଳେ ଧ୍ୟାନ କରିବା ପାଇଁ କ୍ଷେତ୍ରକୁ ଯାଇଥିଲା; ଏଥିମଧ୍ୟରେ ଅନାଇ ଓଟଗଣକୁ ଆସିବାର ଦେଖିଲା। 64 ସେତେବେଳେ ରିବିକା ଅନାଇ ଇସ୍‌ହାକକୁ ଦେଖି ଓଟ ଉପରୁ ଓହ୍ଲାଇଲା। 65 ପୁଣି, ସେ ସେହି ଦାସକୁ ପଚାରିଲା, “ଆମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଯେ କ୍ଷେତ୍ର ମଧ୍ୟରେ ଆସୁଅଛି, ସେହି ପୁରୁଷ କିଏ?” ତହିଁରେ ଦାସ ଉତ୍ତର କଲା, “ସେ ମୋହର ପ୍ରଭୁ,” ଏଣୁ ରିବିକା ଘୋଡ଼ଣୀ ନେଇ ଆପଣାକୁ ଆଚ୍ଛାଦନ କଲା।
66 ଏଥିଉତ୍ତାରେ ସେହି ଦାସ ଇସ୍‌ହାକକୁ ଆପଣା କୃତ କର୍ମର ସମସ୍ତ ବିବରଣ କହିଲା। 67 ସେତେବେଳେ ଇସ୍‌ହାକ ରିବିକାକୁ ଗ୍ରହଣ କରି ଆପଣା ମାତା ସାରାର ତମ୍ବୁକୁ ଘେନିଯାଇ ତାହାକୁ ବିବାହ କଲା; ପୁଣି, ସେ ତାହାକୁ ପ୍ରେମ କଲା। ତହିଁରେ ଇସ୍‌ହାକ ମାତୃମରଣ ଶୋକରୁ ସାନ୍ତ୍ୱନା ପାଇଲା।
* 24:10 ଅର୍ଥାତ୍‍ ମେସୋପଟାମିଆ 24:22 5.7 ଗ୍ରାମ୍ 24:22 115 ଗ୍ରାମ୍