21
ବାବିଲର ପତନର ଦର୍ଶନ
ସାଗର ସମୀପସ୍ଥ ପ୍ରାନ୍ତର ବିଷୟକ ଭାବବାଣୀ।
ତାହା ଦକ୍ଷିଣ ଦିଗରେ ଅତି ବେଗରେ ଅଗ୍ରସର ଘୂର୍ଣ୍ଣିବାୟୁ ତୁଲ୍ୟ
ପ୍ରାନ୍ତରରୁ, ଏକ ଭୟଙ୍କର ଦେଶରୁ ଆସୁଅଛି।
ଏକ ଦୁଃଖଦାୟକ ଦର୍ଶନ ଆମ୍ଭ ପ୍ରତି ପ୍ରକାଶିତ ହୋଇଅଛି;
ବିଶ୍ୱାସଘାତକ ବିଶ୍ୱାସଘାତକତା କରୁଅଛି ଓ ଲୁଟିତକାରୀ ଲୁଟୁଅଛି।
ହେ ଏଲମ୍‍, ଉପରକୁ ଯାଅ; ହେ ମାଦୀୟେ, ଅବରୋଧ କର;
ମୁଁ ତହିଁର ହାହାକାର ଧ୍ୱନିସବୁ ନିବୃତ୍ତ କରିଅଛି।
ଏନିମନ୍ତେ ମୋହର କଟିଦେଶ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି;
ପ୍ରସବକାରିଣୀର ବେଦନା ତୁଲ୍ୟ ବେଦନା ମୋତେ ଆକ୍ରାନ୍ତ କରିଅଛି;
ମୁଁ ଏପରି ବ୍ୟଥିତ ଯେ, ମୁଁ ଶୁଣି ପାରୁ ନାହିଁ; ମୁଁ ଏପରି ବିହ୍ୱଳ ଯେ, ମୁଁ ଦେଖି ପାରୁ ନାହିଁ।
ମୋହର ହୃଦୟ ଧକାଉ ଅଛି, ମହାତ୍ରାସ ମୋତେ ଭୀତ କରାଉଅଛି;
ଯେଉଁ ସନ୍ଧ୍ୟାକାଳ ମୁଁ ବାଞ୍ଛା କଲି, ତାହା ମୋʼ ପ୍ରତି ଥରହରର କାରଣ ହୋଇଅଛି।
ସେମାନେ ମେଜ ସଜାନ୍ତି, ସେମାନେ ପ୍ରହରୀ ନିଯୁକ୍ତ କରନ୍ତି, ସେମାନେ ଭୋଜନ କରନ୍ତି, ସେମାନେ ପାନ କରନ୍ତି;
ହେ ଅଧିପତିମାନେ, ଉଠ, ଢାଲ ତୈଳାକ୍ତ କର।
କାରଣ, ପ୍ରଭୁ ମୋତେ ଏହି କଥା କହିଅଛନ୍ତି,
“ଯାଅ, ଏକ ଜଣ ପ୍ରହରୀ ନିଯୁକ୍ତ କର; ସେ ଯାହା ଦେଖେ, ତାହା ପ୍ରକାଶ କରୁ;
ପୁଣି, ସେ ଯେତେବେଳେ ଏକ ଦଳ ସୈନ୍ୟ, ଦୁଇ ଦୁଇ ଅଶ୍ୱାରୋହୀ,
ଏକ ଦଳ ଗର୍ଦ୍ଦଭାରୋହୀ ଓ ଏକ ଦଳ ଉଷ୍ଟ୍ରାରୋହୀ ଦେଖିବ,
ସେତେବେଳେ ସେ ମନୋଯୋଗ-ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।”
ତହିଁରେ ସେ ସିଂହ ତୁଲ୍ୟ ଉଚ୍ଚ ଶବ୍ଦ କରି କହିଲା,
“ହେ ପ୍ରଭୁ, ମୁଁ ଦିନ ବେଳେ ନିରନ୍ତର ପ୍ରହରୀ-ଦୁର୍ଗରେ ଠିଆ ହୋଇଥାଏ
ଓ କେତେକ ରାତ୍ରି ହେଲା ମୁଁ ଆପଣା ପହରା ସ୍ଥାନରେ ଅବସ୍ଥାପିତ ହୋଇଅଛି,
ଆଉ, ଦେଖ, ଏଠି ଏକ ଦଳ ଲୋକ ଦୁଇ ଦୁଇ ଅଶ୍ୱାରୋହୀ ହୋଇ ଆସୁଅଛନ୍ତି।”
ଆହୁରି, ସେ ପ୍ରତ୍ୟୁତ୍ତର କରି କହିଲା, “ବାବିଲ ପଡ଼ିଲା; ପଡ଼ିଲା
ଓ ତାହାର ଖୋଦିତ ପ୍ରତିମାସବୁ ଭାଙ୍ଗି ଭୂମିସାତ୍‍ ହେଲା।”
10 ହେ ମୋହର ମର୍ଦ୍ଦିତ ଓ ମୋʼ ଖମାରର ଶସ୍ୟ,
ମୁଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଯାହା ଶୁଣିଅଛି,
ତାହା ତୁମ୍ଭମାନଙ୍କୁ ଜଣାଇଲି।
11 ଦୂମା* ବିଷୟକ ଭାବବାଣୀ। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, “ପ୍ରହରୀ, କେତେ ରାତ୍ର ହେଲା? ପ୍ରହରୀ, କେତେ ରାତ୍ର ହେଲା?” 12 ପ୍ରହରୀ କହିଲା, “ପ୍ରଭାତ ଆସୁଅଛି ଓ ରାତ୍ରି ହିଁ ଆସୁଅଛି; ତୁମ୍ଭେମାନେ ଯଦି ପଚାରିବ, ପଚାର; ତୁମ୍ଭେମାନେ ଫେର, ଆସ।”
13 ଆରବ ବିଷୟକ ଭାବବାଣୀ।
ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରି ଯାପନ କରିବ।
14 ଯେଉଁ ଜନ ତୃଷିତ ଥିଲା, ସେମାନେ ତାହା ନିକଟକୁ ଜଳ ଆଣିଲେ;
ତେମା ଦେଶବାସୀମାନେ ଭକ୍ଷ୍ୟ ନେଇ ପଳାତକମାନଙ୍କ ସଙ୍ଗେ ସାକ୍ଷାତ କଲେ।
15 କାରଣ ସେମାନେ ଖଡ୍ଗରୁ, ନିଷ୍କୋଷ ଖଡ୍ଗରୁ,
ଗୁଣଦିଆ ଧନୁରୁ ଓ କ୍ଲେଶଜନକ ଯୁଦ୍ଧରୁ ପଳାଇଲେ।
16 ଯେହେତୁ ସଦାପ୍ରଭୁ ମୋତେ କହିଅଛନ୍ତି, “ବେତନଜୀବୀର ବର୍ଷ ପ୍ରମାଣେ ଏକ ବର୍ଷ ମଧ୍ୟରେ କେଦାରର ସକଳ ପ୍ରତାପ ଲୁପ୍ତ ହେବ; 17 ଆଉ, କେଦାର ବଂଶୀୟ ବୀରଗଣ ମଧ୍ୟରେ ଅଳ୍ପସଂଖ୍ୟକ ଧନୁର୍ଦ୍ଧାରୀ ଅବଶିଷ୍ଟ ରହିବେ କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।”
* 21:11 ଦୂମା ଅର୍ଥାତ୍‍ ଇଦୋମ