59
ଲୋକଙ୍କ ଅପରାଧ ଓ ଅତ୍ୟାଚାର
ଦେଖ, ସଦାପ୍ରଭୁଙ୍କର ହସ୍ତ ଛୋଟ ହୋଇଯାଇ ନାହିଁ ଯେ, ତାହା ପରିତ୍ରାଣ କରି ନ ପାରେ, କିଅବା ତାହାଙ୍କର କର୍ଣ୍ଣ ଭାରୀ ହୋଇ ନାହିଁ, ଯେ ତାହା ଶୁଣି ନ ପାରେ।
ମାତ୍ର ତୁମ୍ଭମାନଙ୍କର ଅପରାଧସବୁ, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି
ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଚାଇଅଛି, ଏଥିପାଇଁ ସେ ଶୁଣିବେ ନାହିଁ।
କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ଓ ତୁମ୍ଭେମାନେ ମିଥ୍ୟା କହିଅଛ,
ଓ ତୁମ୍ଭମାନଙ୍କର ଜିହ୍ୱା ଦୁଷ୍ଟତା ବକେ;
କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ;
ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କହନ୍ତି; ସେମାନେ ଅନିଷ୍ଟକୁ ଗର୍ଭରେ ଧାରଣ କରନ୍ତି ଓ ଅପରାଧ ପ୍ରସବ କରନ୍ତି।
ସେମାନେ କାଳସର୍ପର ଡିମ୍ବ ଫୁଟାନ୍ତି ଓ ମାକଡ଼ସାର ଜାଲ ବୁଣନ୍ତି;
ଯେ ସେମାନଙ୍କର ଡିମ୍ବ ଖାଏ, ସେ ମରେ, ଆଉ ତାହା ଦଳିତ ହେଲେ ତହିଁରୁ କାଳସର୍ପ ବାହାର ହୁଏ।
ସେମାନଙ୍କର ଜାଲ ବସ୍ତ୍ର ହେବ ନାହିଁ, କିଅବା ସେମାନେ ଆପଣା କର୍ମରେ ଆପଣାମାନଙ୍କୁ ଆଚ୍ଛାଦନ କରିବେ ନାହିଁ;
ସେମାନଙ୍କର କର୍ମସବୁ ଅଧର୍ମର କର୍ମ ଓ ସେମାନଙ୍କ ହସ୍ତରେ ଦୌରାତ୍ମ୍ୟର କାର୍ଯ୍ୟ ଥାଏ।
ସେମାନଙ୍କର ଚରଣ ଦୁଷ୍କର୍ମର ଆଡ଼େ ଦୌଡ଼େ ଓ ସେମାନେ ନିର୍ଦ୍ଦୋଷର ରକ୍ତପାତ କରିବାକୁ ବେଗଗାମୀ ହୁଅନ୍ତି;
ସେମାନଙ୍କର ଚିନ୍ତାସବୁ ଅଧର୍ମର ଚିନ୍ତା; ସେମାନଙ୍କ ପଥରେ ଉଚ୍ଛିନ୍ନତା ଓ ବିନାଶ ଥାଏ।
ଶାନ୍ତିର ବାଟ ସେମାନେ ଜାଣନ୍ତି ନାହିଁ ଓ ସେମାନଙ୍କ ମାର୍ଗରେ କୌଣସି ବିଚାର ନାହିଁ;
ସେମାନେ ଆପଣାମାନଙ୍କ ପାଇଁ ବକ୍ର ପଥ କରିଅଛନ୍ତି; ଯେକେହି ତହିଁରେ ଗମନ କରେ, ସେ ଶାନ୍ତି ଜାଣେ ନାହିଁ।
ଏନିମନ୍ତେ ବିଚାର ଆମ୍ଭମାନଙ୍କଠାରୁ ଦୂରରେ ଥାଏ, ଧାର୍ମିକତା ଆମ୍ଭମାନଙ୍କ ସଙ୍ଗ ଧରେ ନାହିଁ;
ଆମ୍ଭେମାନେ ଦୀପ୍ତି ପାଇଁ ଅପେକ୍ଷା କରୁ, ମାତ୍ର ଦେଖ, ଅନ୍ଧକାର; ଆଲୁଅର ଅପେକ୍ଷା କରୁ, ମାତ୍ର ଆମ୍ଭେମାନେ ଅନ୍ଧାରରେ ଭ୍ରମଣ କରୁ।
10 ଆମ୍ଭେମାନେ ଅନ୍ଧ ଲୋକ ପରି କାନ୍ଥ ପାଇଁ ଦରାଣ୍ଡି ହେଉ, ହଁ, ଚକ୍ଷୁହୀନ ଲୋକମାନଙ୍କ ପରି ଆମ୍ଭେମାନେ ଦରାଣ୍ଡି ହେଉ;
ଆମ୍ଭେମାନେ ସନ୍ଧ୍ୟାବେଳ ପରି ମଧ୍ୟାହ୍ନ କାଳରେ ଝୁଣ୍ଟି ପଡ଼ୁ; ଆମ୍ଭେମାନେ ହୃଷ୍ଟପୁଷ୍ଟ ଲୋକଙ୍କ ମଧ୍ୟରେ ମୃତ ଲୋକଙ୍କ ପରି ଅଛୁ।
11 ଆମ୍ଭେ ସମସ୍ତେ ଭଲ୍ଲୁକର ନ୍ୟାୟ ଗର୍ଜ୍ଜନ କରୁ ଓ ଘୁଘୁ ପରି ଅତିଶୟ ବିଳାପ କରୁ;
ଆମ୍ଭେମାନେ ବିଚାରର ଅପେକ୍ଷା କରୁ, ମାତ୍ର ତାହା ନାହିଁ; ପରିତ୍ରାଣର ଅପେକ୍ଷା କରୁ, ମାତ୍ର ତାହା ଆମ୍ଭମାନଙ୍କଠାରୁ ଦୂରରେ ଅଛି।
12 କାରଣ ତୁମ୍ଭ ସାକ୍ଷାତରେ ଆମ୍ଭମାନଙ୍କର ଅଧର୍ମ ବୃଦ୍ଧି ପାଇଅଛି ଓ ଆମ୍ଭମାନଙ୍କର ପାପ ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି;
ଯେହେତୁ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ଓ ଆମ୍ଭମାନଙ୍କର ଅପରାଧସବୁ ଆମ୍ଭେମାନେ ତ ଜାଣୁ;
13 ତାହା ଅପରାଧ ଓ ସଦାପ୍ରଭୁଙ୍କୁ ଅସ୍ୱୀକାର କରିବା ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍‍ଗମନରୁ ବିମୁଖ ହେବା,
ଉପଦ୍ରବ ଓ ରାଜଦ୍ରୋହର କଥା କହିବା, ମିଥ୍ୟା କଥା ଧାରଣ କରି ଅନ୍ତଃକରଣରୁ ବାହାର କରିବାର ଅଟେ।
14 ଏଥିପାଇଁ ବିଚାର ପଛକୁ ହଟି ଯାଇଅଛି ଓ ଧର୍ମ ଦୂରରେ ଠିଆ ହେଉଅଛି;
ଛକସ୍ଥାନରେ ସତ୍ୟତାର ପତନ ହୋଇଅଛି ଓ ସରଳତା ପ୍ରବେଶ କରି ପାରୁ ନାହିଁ।
15 ହଁ, ସତ୍ୟତାର ଅଭାବ ହୋଇଅଛି ଓ ଯେ ଦୁଷ୍କର୍ମ ତ୍ୟାଗ କରେ, ସେ ଆପଣାକୁ ଲୁଟିତ ସ୍ୱରୂପ କରେ;
ପୁଣି, ସଦାପ୍ରଭୁ ଏହା ଦେଖିଲେ: ଆଉ, ନ୍ୟାୟବିଚାର ନ ଥିବାରୁ ଅସନ୍ତୁଷ୍ଟ ହେଲେ।
ବିଚାର ଏବଂ ଉଦ୍ଧାର
16 ଆହୁରି, ସେ ଦେଖିଲେ ଯେ, କୌଣସି ପୁରୁଷ ବର୍ତ୍ତମାନ ନାହିଁ, ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ;
ଏହେତୁ ତାହାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା ଓ ତାହାଙ୍କର ଧାର୍ମିକତା ହିଁ ତାହାଙ୍କୁ ଧରି ରଖିଲା।
17 ପୁଣି, ସେ ବୁକୁପଟା ରୂପେ ଧାର୍ମିକତା ଓ ପରିତ୍ରାଣର ଟୋପର ଆପଣାର ମସ୍ତକରେ ପିନ୍ଧିଲେ;
ଆଉ, ସେ ପ୍ରତିଶୋଧରୂପ ବସ୍ତ୍ର ପରିଧାନ କଲେ ଓ ଉତ୍ତରୀୟ ବସ୍ତ୍ରରୂପେ ଉଦ୍‍ଯୋଗରୂପ ବସ୍ତ୍ର ପିନ୍ଧିଲେ।
18 ସେମାନଙ୍କର କର୍ମ ପ୍ରମାଣେ ସେ ଆପଣା ବିପକ୍ଷମାନଙ୍କୁ ପ୍ରଚଣ୍ଡ କୋପରୂପ ପ୍ରତିଦାନ ଓ ଆପଣା ଶତ୍ରୁମାନଙ୍କୁ ପ୍ରତିଫଳ ଦେବେ; ଦ୍ୱୀପସମୂହକୁ ପ୍ରତିଫଳ ଦାନ କରିବେ।
19 ତହିଁରେ ଲୋକମାନେ ପଶ୍ଚିମ ଦିଗରୁ ସଦାପ୍ରଭୁଙ୍କ ନାମକୁ ଓ ସୂର୍ଯ୍ୟୋଦୟ ସ୍ଥାନରୁ ଲୋକମାନେ ତାହାଙ୍କର ପ୍ରତାପକୁ ଭୟ କରିବେ; କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଚାଳିତ ପ୍ରବଳ ସ୍ରୋତ ପରି ଶତ୍ରୁ ମାଡ଼ି ଆସିବ।
20 ପୁଣି, ସଦାପ୍ରଭୁ କହନ୍ତି, “ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ମୁକ୍ତିଦାତା ଆସିବେ।”
21 ନିଜ ବିଷୟରେ ସଦାପ୍ରଭୁ କହନ୍ତି, “ସେମାନଙ୍କ ସହିତ ଆମ୍ଭର ନିୟମ ଏହି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭର ଯେସକଳ ବାକ୍ୟ ଆମ୍ଭେ ତୁମ୍ଭ ମୁଖରେ ରଖିଅଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭ ବଂଶୋତ୍ପନ୍ନ ବଂଶର ମୁଖରୁ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ,” ଏହା ସଦାପ୍ରଭୁ କହନ୍ତି।