13
ଜ୍ଞାନବାନ
ଜ୍ଞାନବାନ ପୁତ୍ର ଆପଣା ପିତାର ଉପଦେଶ ଶୁଣେ;
ମାତ୍ର ନିନ୍ଦକ ଅନୁଯୋଗ ଶୁଣେ ନାହିଁ।
ମନୁଷ୍ୟ ଆପଣା ମୁଖର ଫଳ ଦ୍ୱାରା ମଙ୍ଗଳ ଭୋଗ କରେ;
ମାତ୍ର ବିଶ୍ୱାସଘାତକର ପ୍ରାଣ ଦୌରାତ୍ମ୍ୟ ଭୋଗ କରେ।
ଯେଉଁ ଲୋକ ଆପଣା ମୁଖରେ ପ୍ରହରୀ ରଖେ, ସେ ଆପଣା ପ୍ରାଣ ରକ୍ଷା କରେ;
ମାତ୍ର ଯେକେହି ଚିନ୍ତା ନ କରି କଥା କହେ, ତାହାର ବିନାଶ ହେବ।
ଅଳସୁଆ ମନରେ ବାଞ୍ଛା କଲେ ହେଁ କିଛି ପାଏ ନାହିଁ,
ମାତ୍ର କର୍ମଶୀଳ ପ୍ରାଣ ହୃଷ୍ଟପୁଷ୍ଟ ହେବ।
ଧାର୍ମିକ ଲୋକ ମିଥ୍ୟାକୁ ଘୃଣା କରେ;
ମାତ୍ର ଦୁଷ୍ଟ ଲୋକ ଦୁର୍ଗନ୍ଧ ସ୍ୱରୂପ, ଆଉ ସେ ଲଜ୍ଜା ଭୋଗ କରେ।
ଧାର୍ମିକତା ସରଳ-ପଥଗାମୀକୁ ରକ୍ଷା କରେ;
ମାତ୍ର ଦୁଷ୍ଟତା ପାପୀକୁ ଓଲଟାଇ ପକାଏ।
କେହି ଆପଣାକୁ ଧନୀ ଦେଖାଏ, କିନ୍ତୁ ତାହାର କିଛି ହିଁ ନାହିଁ;
କେହି ବା ଆପଣାକୁ ଦରିଦ୍ର ଦେଖାଏ, କିନ୍ତୁ ତାହାର ମହାଧନ ଅଛି।
ମନୁଷ୍ୟର ଧନ ତାହାର ପ୍ରାଣର ପ୍ରାୟଶ୍ଚିତ୍ତ ସ୍ୱରୂପ;
ମାତ୍ର ଦରିଦ୍ର ଲୋକ ଧମକ ଶୁଣେ ନାହିଁ।
ଧାର୍ମିକର ଦୀପ୍ତି ଆନନ୍ଦ କରେ;
ମାତ୍ର ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ।
10 ଅହଙ୍କାରରୁ କେବଳ କଳି ଉତ୍ପନ୍ନ ହୁଏ;
ମାତ୍ର ସୁପରାମର୍ଶ-ଗ୍ରାହକଠାରେ ଜ୍ଞାନ ଅଛି।
11 ମିଥ୍ୟାରେ ପ୍ରାପ୍ତ ଧନ କ୍ଷୟ ପାଇବ,
ମାତ୍ର ହସ୍ତରେ ଅର୍ଜିତ ଧନ ବଢ଼ିଯିବ।
12 ଆଶାସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ;
ମାତ୍ର ବାଞ୍ଛାର ସିଦ୍ଧି ଜୀବନ-ବୃକ୍ଷ ସ୍ୱରୂପ।
13 ଯେଉଁ ଲୋକ ଉପଦେଶ ତୁଚ୍ଛ କରେ, ସେ ଆପଣା ଉପରକୁ ବିନାଶ ଆଣେ;
ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହେବ।
14 ମୃତ୍ୟୁର ଫାନ୍ଦରୁ ଫେରାଇବା ପାଇଁ
ଜ୍ଞାନବାନ‍ର ବ୍ୟବସ୍ଥା ଜୀବନ-ଝର ସ୍ୱରୂପ ଅଟେ।
15 ସୁବୁଦ୍ଧିର ଫଳ ଅନୁଗ୍ରହ,
ମାତ୍ର ବିଶ୍ୱାସଘାତକର ପଥ କଠିନ ଅଟେ।
16 ପ୍ରତ୍ୟେକ ଚତୁର ଲୋକ ବୁଦ୍ଧିରେ କର୍ମ କରେ;
ମାତ୍ର ମୂର୍ଖ ଅଜ୍ଞାନତା ବିସ୍ତାର କରେ।
17 ଦୁଷ୍ଟ ବାର୍ତ୍ତାବାହକ ଆପଦରେ ପଡ଼େ;
ମାତ୍ର ବିଶ୍ୱସ୍ତ ଦୂତ ସ୍ୱାସ୍ଥ୍ୟଜନକ।
18 ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, ସେ ଦରିଦ୍ରତା ଓ ଲଜ୍ଜା ପାଏ;
ମାତ୍ର ଯେ ଅନୁଯୋଗ ଘେନେ, ସେ ମର୍ଯ୍ୟାଦା ପାଇବ।
19 ବାଞ୍ଛାସିଦ୍ଧି ପ୍ରାଣକୁ ମିଷ୍ଟ ଲାଗେ;
ପୁଣି, ମନ୍ଦ ତ୍ୟାଗ କରିବାର ମୂର୍ଖ ଲୋକର ଘୃଣା ବିଷୟ।
20 ଜ୍ଞାନୀ ସଙ୍ଗରେ ଗମନାଗମନ କର, ତହିଁରେ ତୁମ୍ଭେ ଜ୍ଞାନୀ ହେବ;
ମାତ୍ର ମୂର୍ଖମାନଙ୍କର ସଙ୍ଗୀ କ୍ଳେଶ ପାଇବ।
21 ପାପୀମାନଙ୍କ ପଛେ ମନ୍ଦ ଗୋଡ଼ାଏ;
ମାତ୍ର ଧାର୍ମିକମାନଙ୍କୁ ମଙ୍ଗଳରୂପ ପୁରସ୍କାର ଦତ୍ତ ହେବ।
22 ଉତ୍ତମ ଲୋକ ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିଯାଏ;
ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।
23 ଦରିଦ୍ରର ଚାଷ ଦ୍ୱାରା ଖାଦ୍ୟର ବାହୁଲ୍ୟ ହୁଏ;
ମାତ୍ର ଅନ୍ୟାୟ ସକାଶୁ କାହାର କାହାର ବିନାଶ ହୁଏ।
24 ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ;
ପୁଣି ଯେ ତାହାକୁ ପ୍ରେମ କରେ, ସେ ଯଥାକାଳରେ ଶାସ୍ତି ଦିଏ।
25 ଧାର୍ମିକ ଆପଣା ପ୍ରାଣର ତୃପ୍ତି ପର୍ଯ୍ୟନ୍ତ ଖାଏ,
ମାତ୍ର ପାପୀର ଉଦର ଅତୃପ୍ତ ଥାଏ।