4
ଜ୍ଞାନର ଉପକାରିତା
ହେ ମୋହର ପୁତ୍ରଗଣ, ପିତାର ଉପଦେଶ ଶୁଣ
ଓ ସୁବିବେଚନାଦାୟକ ଜ୍ଞାନରେ ମନୋଯୋଗ କର।
ଯେହେତୁ ମୁଁ ତୁମ୍ଭମାନଙ୍କୁ ଉତ୍ତମ ଶିକ୍ଷା ଦେଉଅଛି,
ମୋହର ଆଦେଶ ପରିତ୍ୟାଗ କର ନାହିଁ।
ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି,
ପୁଣି, ମାତାଙ୍କ ଦୃଷ୍ଟିରେ କୋମଳ ଓ ଏକମାତ୍ର ପ୍ରିୟ ଥିଲି।
ପିତା ମୋତେ ଶିକ୍ଷା ଦେଇ କହିଲେ,
“ତୁମ୍ଭ ମନରେ ମୋହର କଥାସବୁ ରଖ,
ପୁଣି ମୋହର ଆଜ୍ଞାସବୁ ପାଳନ କର ତହିଁରେ ତୁମ୍ଭେ ବଞ୍ଚିବ।
ଜ୍ଞାନ ଅର୍ଜନ କର, ସୁବିବେଚନା ଲାଭ କର, ତାହା ଭୁଲ ନାହିଁ;
ପୁଣି, ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ।
ତାକୁ ପରିତ୍ୟାଗ କର ନାହିଁ; ତହିଁରେ ସେ ତୁମ୍ଭକୁ ପାଳନ କରିବ;
ତାକୁ ସ୍ନେହ କର, ତହିଁରେ ସେ ତୁମ୍ଭକୁ ରକ୍ଷା କରିବ।
ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର;
ପୁଣି, ତୁମ୍ଭର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର।
ତାହାକୁ ଶିରୋଧାର୍ଯ୍ୟ କର, ତହିଁରେ ସେ ତୁମ୍ଭକୁ ଉନ୍ନତ କରିବ;
ତାହାକୁ ଆଲିଙ୍ଗନ କଲେ, ସେ ତୁମ୍ଭକୁ ସମ୍ଭ୍ରାନ୍ତ କରିବ।
ସେ ତୁମ୍ଭ ମସ୍ତକରେ ଅନୁଗ୍ରହରୂପ ଭୂଷଣ ଦେବ;
ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।”
10 ହେ ମୋହର ପୁତ୍ର, ଶୁଣ, ମୋʼ କଥା ଘେନ;
ତହିଁରେ ତୁମ୍ଭ ଆୟୁର ବର୍ଷ ବହୁତ ହେବ।
11 ମୁଁ ତୁମ୍ଭକୁ ଜ୍ଞାନର ମାର୍ଗରେ ଶିକ୍ଷା ଦେଇଅଛି,
ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇଅଛି।
12 ତୁମ୍ଭେ ଗମନ କରିବା ବେଳେ ତୁମ୍ଭର ପାଦ ସଙ୍କୁଚିତ ହେବ ନାହିଁ;
ପୁଣି, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟିବ ନାହିଁ।
13 ଉପଦେଶ ଦୃଢ଼ କରି ଧର; ତାକୁ ଛାଡ଼ିଦିଅ ନାହିଁ; ତାକୁ ରଖ;
କାରଣ ତାହା ତୁମ୍ଭର ଜୀବନ।
14 କୁକର୍ମୀମାନଙ୍କ ପଥ ମଧ୍ୟରେ ପ୍ରବେଶ କର ନାହିଁ
ଏବଂ ଦୁଷ୍ଟ ଲୋକମାନଙ୍କ ବାଟରେ ଚାଲ ନାହିଁ।
15 ତାହା ପରିତ୍ୟାଗ କର, ତହିଁର ନିକଟ ଦେଇ ଯାଅ ନାହିଁ;
ତହିଁରୁ ବିମୁଖ ହୋଇ ଚାଲିଯାଅ।
16 ଯେହେତୁ କୁକ୍ରିୟା ନ କଲେ ସେମାନେ ଶୟନ କରନ୍ତି ନାହିଁ,
ପୁଣି କାହାକୁ ପତିତ ନ କରାଇଲେ ସେମାନଙ୍କ ନିଦ୍ରା ଭାଙ୍ଗିଯାଏ।
17 ଯେହେତୁ ସେମାନେ ଦୁଷ୍ଟତାରୂପ ଅନ୍ନ ଭକ୍ଷଣ କରନ୍ତି;
ପୁଣି, ଦୌରାତ୍ମ୍ୟରୂପ ଦ୍ରାକ୍ଷାରସ ପାନ କରନ୍ତି।
18 ମାତ୍ର ଧାର୍ମିକମାନଙ୍କ ପଥ ପ୍ରଭାତର ଆଲୁଅ ତୁଲ୍ୟ,
ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ତେଜସ୍କର ହୁଏ।
19 ପୁଣି, ଦୁଷ୍ଟମାନଙ୍କର ବାଟ ଅନ୍ଧକାର ତୁଲ୍ୟ;
ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି, ତାହା ଜାଣନ୍ତି ନାହିଁ।
20 ହେ ମୋହର ପୁତ୍ର, ମୋʼ କଥାରେ ମନୋଯୋଗ କର;
ମୋʼ ବାକ୍ୟରେ କର୍ଣ୍ଣ ଡେର।
21 ତାହାସବୁ ତୁମ୍ଭ ଚକ୍ଷୁରୁ ନ ଯାଉ;
ତାହାସବୁ ତୁମ୍ଭ ହୃଦୟ ମଧ୍ୟରେ ଯତ୍ନ କରି ରଖ।
22 ଯେହେତୁ ତାହା ଯେଉଁମାନେ ପାଆନ୍ତି,
ସେମାନଙ୍କ ପ୍ରତି ତାହା ଜୀବନ ଓ ସର୍ବାଙ୍ଗର ସ୍ୱାସ୍ଥ୍ୟ ଅଟେ।
23 ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ;
ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ।
24 ଆପଣାଠାରୁ କୁଟିଳ ମୁଖ ଦୂର କର
ଓ ବକ୍ର ଓଷ୍ଠାଧର ବହୁ ଦୂରରେ ରଖ।
25 ତୁମ୍ଭ ଚକ୍ଷୁ ଆଗକୁ ଦୃଷ୍ଟି କରୁ
ଓ ତୁମ୍ଭ ଚକ୍ଷୁର ପତା ତୁମ୍ଭ ସମ୍ମୁଖରେ ସଳଖ ଅନାଉ।
26 ତୁମ୍ଭେ ଆପଣା ପାଦ ସଳଖ କରି ପକାଅ
ଓ ତୁମ୍ଭର ସବୁ ପଥ ସ୍ଥିରୀକୃତ ହେଉ।
27 ଡାହାଣ କି ବାମ ପାର୍ଶ୍ୱକୁ ଯାଅ ନାହିଁ,
ପୁଣି ତୁମ୍ଭ ପାଦ ମନ୍ଦଠାରୁ ଦୂର କର।