77
ଦୁର୍ଦ୍ଦଶା ସମୟରେ ଆଶ୍ୱାସନା
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ର ରୀତି ଅନୁସାରେ ଆସଫର ଗୀତ।
1 ମୁଁ ପରମେଶ୍ୱରଙ୍କ ନିକଟରେ ସ୍ୱରବରେ କାକୂକ୍ତି କରିବି;
ପରମେଶ୍ୱରଙ୍କ ନିକଟରେ ହିଁ ସ୍ୱରବରେ କାକୂକ୍ତି କରିବି, ତହିଁରେ ସେ ମୋʼ ପ୍ରତି କର୍ଣ୍ଣପାତ କରିବେ।
2 ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ୱେଷଣ କଲି;
ରାତ୍ରିକାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ ନୋହିଲା;
ମୋହର ପ୍ରାଣ ପ୍ରବୋଧ ମାନିବାକୁ ଅସମ୍ମତ ହେଲା।
3 ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି;
ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ।
[ସେଲା]
4 ତୁମ୍ଭେ ମୋʼ ଚକ୍ଷୁକୁ ଉଜାଗର କରି ରଖୁଅଛ;
ମୁଁ ଏପରି ବ୍ୟାକୁଳ ଯେ, କଥା କହି ପାରୁ ନାହିଁ।
5 ମୁଁ ପୂର୍ବକାଳର ଦିନସବୁ,
ପୁରାତନ କାଳର ବର୍ଷସବୁ ଭାବନା କରିଅଛି।
6 ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି;
ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି;
ପୁଣି, ମୋହର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
7 “ପ୍ରଭୁ କʼଣ ସଦାକାଳ ପରିତ୍ୟାଗ କରିବେ?
ସେ କʼଣ ଆଉ ସୁପ୍ରସନ୍ନ ହେବେ ନାହିଁ?
8 ତାହାଙ୍କ ଦୟା କʼଣ ଚିରକାଳ ଲୁପ୍ତ ହେଲା?
ତାହାଙ୍କ ପ୍ରତିଜ୍ଞା କʼଣ ଚିରକାଳ ବିଫଳ ହୁଏ?
9 ପରମେଶ୍ୱର କʼଣ କୃପାମୟ ହେବାକୁ ପାସୋରିଅଛନ୍ତି?
ସେ କʼଣ କ୍ରୋଧରେ ଆପଣା କରୁଣା ରୁଦ୍ଧ କରିଅଛନ୍ତି?”
[ସେଲା]
10 ତହୁଁ ମୁଁ କହିଲି, “ଏହା ହିଁ ମୋହର ଦୁର୍ବଳତା;
ମାତ୍ର ମୁଁ ସର୍ବୋପରିସ୍ଥଙ୍କ ଦକ୍ଷିଣ ହସ୍ତର ବର୍ଷସକଳ ସ୍ମରଣ କରିବି।”
11 ମୁଁ ସଦାପ୍ରଭୁଙ୍କ କର୍ମସବୁ ଉଲ୍ଲେଖ କରିବି;
ମୁଁ ପୂର୍ବକାଳର ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାସବୁ ସ୍ମରଣ କରିବି।
12 ମୁଁ ତୁମ୍ଭର ସମସ୍ତ କର୍ମ ଚିନ୍ତା କରିବି
ଓ ତୁମ୍ଭର କ୍ରିୟାସକଳ ଧ୍ୟାନ କରିବି।
13 ହେ ପରମେଶ୍ୱର, ତୁମ୍ଭର ପଥ ପବିତ୍ର ଅଟେ;
ପରମେଶ୍ୱରଙ୍କ ତୁଲ୍ୟ ମହାନ ପରମେଶ୍ୱର କିଏ?
14 ତୁମ୍ଭେ ଆଶ୍ଚର୍ଯ୍ୟ-କର୍ମକର୍ତ୍ତା ପରମେଶ୍ୱର;
ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
15 ତୁମ୍ଭେ ନିଜ ବାହୁରେ ଆପଣା ଲୋକଙ୍କୁ,
ଯାକୁବ ଓ ଯୋଷେଫର ସନ୍ତାନଗଣକୁ ମୁକ୍ତ କରିଅଛ।
16 ହେ ପରମେଶ୍ୱର, ସମୁଦ୍ର ତୁମ୍ଭଙ୍କୁ ଦେଖିଲା,
ସମୁଦ୍ର ତୁମ୍ଭଙ୍କୁ ଦେଖି ଭୀତ ହେଲା;
ମଧ୍ୟ ବାରିଧି କମ୍ପିତ ହେଲା।
17 ମେଘମାଳ ଜଳ ବୃଷ୍ଟି କଲେ,
ଆକାଶ ଗର୍ଜ୍ଜନ କଲା;
ମଧ୍ୟ ତୁମ୍ଭର ତୀରସବୁ ବ୍ୟାପ୍ତ ହେଲା।
18 ଘୂର୍ଣ୍ଣିବାୟୁରେ ତୁମ୍ଭର ବଜ୍ରଧ୍ୱନି ହେଲା;
ବିଜୁଳି ଜଗତକୁ ଆଲୁଅମୟ କଲା;
ପୃଥିବୀ କମ୍ପିତ ଓ ଥରହର ହେଲା।
19 ସମୁଦ୍ରରେ ତୁମ୍ଭର ପଥ ଓ ମହାଜଳରାଶିରେ ତୁମ୍ଭର ମାର୍ଗ ଥିଲା,
ପୁଣି, ତୁମ୍ଭର ପଦଚିହ୍ନ ଜଣା ନୋହିଲା।
20 ତୁମ୍ଭେ ମୋଶା ଓ ହାରୋଣର ହସ୍ତ ଦ୍ୱାରା ଆପଣା
ଲୋକମାନଙ୍କୁ ମେଷପଲ ପରି ଚଳାଇଲ।