7
ହେ ରାଜକନ୍ୟେ, ପାଦୁକାରେ ତୁମ୍ଭ ଚରଣ କିପରି ସୁନ୍ଦର।
ତୁମ୍ଭର କଟିମଣ୍ଡଳ ନିପୁଣ ଶିଳ୍ପକର ହସ୍ତରେ ନିର୍ମିତ ରତ୍ନହାର ସ୍ୱରୂପ।
ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା ବର୍ତ୍ତୁଳ ତାଟିଆ ତୁଲ୍ୟ;
ତୁମ୍ଭର ଉଦର କଇଁଫୁଲ-ମଣ୍ଡିତ ଗହମରାଶି ତୁଲ୍ୟ।
ତୁମ୍ଭର ସ୍ତନଯୁଗଳ ହରିଣୀର ଯାଆଁଳା ଛୁଆ ତୁଲ୍ୟ।
ତୁମ୍ଭର ଗଳଦେଶ ଗଜଦନ୍ତମୟ ଦୁର୍ଗ ସଦୃଶ;
ତୁମ୍ଭ ନେତ୍ରଯୁଗଳ ବେଥ୍‍-ରବ୍ବୀମ ନଗର-ଦ୍ୱାର ନିକଟସ୍ଥ ହିଷ୍‍ବୋନ ସରୋବର ସଦୃଶ;
ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ୟ।
ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ,
ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ୟ;
ତହିଁର ବେଣୀ-ପାଶରେ ରାଜା ବନ୍ଦୀ ରୂପେ ଧୃତ ଅଟନ୍ତି।
ହେ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କିପରି ସୁନ୍ଦରୀ ଓ ମନୋହାରିଣୀ!
ତୁମ୍ଭ ଶରୀରର ଦୀର୍ଘତା ଖର୍ଜ୍ଜୁର ବୃକ୍ଷ ତୁଲ୍ୟ
ଓ ତୁମ୍ଭ ସ୍ତନ ଦ୍ରାକ୍ଷାଫଳର ପେଣ୍ଡା ତୁଲ୍ୟ।
ମୁଁ କହିଲି, “ମୁଁ ଖର୍ଜ୍ଜୁର ବୃକ୍ଷ ଆରୋହଣ କରିବି,
ମୁଁ ତହିଁର ବାହୁଙ୍ଗା ଧରିବି;”
ତୁମ୍ଭ ସ୍ତନ ଦ୍ରାକ୍ଷାଫଳର ପେଣ୍ଡା ତୁଲ୍ୟ ହେଉ;
ପୁଣି, ତୁମ୍ଭ ନିଶ୍ୱାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ୟ ହେଉ;
ତୁମ୍ଭର ମୁଖ* ସର୍ବୋତ୍ତମ ଦ୍ରାକ୍ଷାରସ ତୁଲ୍ୟ,
ତାହା ମୋʼ ପ୍ରିୟତମଙ୍କ ଗଳଦେଶରେ ଚିକ୍କଣ ଗଳିଯାଏ,
ପୁଣି ତାହାଙ୍କ ଓଷ୍ଠ ଓ ଦାନ୍ତ ଦେଇ ଧୀରେ ଧୀରେ ଚାଲିଯାଏ।
10 ମୁଁ ଆପଣା ପ୍ରିୟତମଙ୍କର ଓ ତାଙ୍କର ବାସନା ମୋʼ ପ୍ରତି ଅଛି।
କନ୍ୟାର ପ୍ରେମ ପ୍ରଦାନ
11 ଆସ, ମୋʼ ପ୍ରିୟତମ, ଆମ୍ଭେମାନେ କ୍ଷେତ୍ରକୁ ଯାଉ;
ଆମ୍ଭେମାନେ ପଲ୍ଲୀଗ୍ରାମରେ କାଳ କ୍ଷେପଣ କରୁ।
12 ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ;
ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ପୁଟିତ
ଓ ଡାଳିମ୍ବ ପୁଷ୍ପିତ ହୋଇଅଛି କି ନାହିଁ, ତାହା ଦେଖୁ;
ସେଠାରେ ମୁଁ ତୁମ୍ଭକୁ ଆପଣା ପ୍ରେମ ପ୍ରଦାନ କରିବି।
13 ଦୂଦାଫୁଲ ସୁବାସ ଦେଉଅଛି,
ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ ନୂତନ ଓ ପୁରାତନ ଫଳ ଅଛି,
ପ୍ରିୟତମଙ୍କ ପ୍ରତି ବ୍ୟାକୁଳତା ହେ ମୋହର ପ୍ରିୟତମ, ତାହାସବୁ ମୁଁ ତୁମ୍ଭ ପାଇଁ ରଖିଅଛି।
* 7:9 ମୁଖ କିମ୍ବା ଚୁମ୍ବନ 7:9 ତାହାଙ୍କ ଓଷ୍ଠ ଓ ଦାନ୍ତ ଦେଇ କିଅବା ନିଦ୍ରିତ ଲୋକମାନଙ୍କ ଓଷ୍ଠାଧରରେ 7:11 ପଲ୍ଲୀଗ୍ରାମରେ କିଅବା ହେନା ବୁଦାରେ କିମ୍ବା ବନ୍ୟ ପୁଷ୍ପରେ